କଟକ: ଓଡ଼ିଶା ସହ ଛତିଶଗଡ଼, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ବିସ୍ତାର ଲାଭ କରିଥିବା ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଚକ୍ରର ମୁଖ୍ୟ କାର୍ପଟଦାରକୁ ଗିରଫ କରିବାରେ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) ବଡ଼ ସଫଳତା ପାଇଛି। ପ୍ରାୟ ଏକ ମାସ ଧରି ଚାଲିଥିବା ଗୁପ୍ତ ଅଭିଯାନ ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ଶେଷରେ କୁଖ୍ୟାତ ଗଞ୍ଜେଇ ମାଫିଆ ଦୁର୍ବାସା ସାହୁ (୪୬) ସହ ତାଙ୍କର ତିନି ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଚଳିତ ଜୁନ୍ ୨୪ ତାରିଖରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଏକ କାଜୁ ଜଙ୍ଗଲରୁ ୧୨୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହି ଘଟଣାର ତଦନ୍ତ ବେଳେ ଚୋରାଚାଲାଣ ଚକ୍ରର ଏକ ନୂଆ କୌଶଳ ସାମ୍ନାକୁ ଆସିଥିଲା। ଗଞ୍ଜେଇ ଯୋଗାଣ ପାଇଁ ଏଜେଣ୍ଟମାନଙ୍କୁ ଚିରା ୧୦ ଟଙ୍କିଆ ନୋଟର ଅଧା ଅଂଶ ଦିଆଯାଉଥିଲା। ଅନ୍ୟ ଅଧା ଅଂଶ ସହ ମେଳ ଖାଇଲେ ମାତ୍ର ମାଲ ହସ୍ତାନ୍ତର କରାଯାଉଥିଲା। ଏହି ସୂତ୍ର ଧରି STF ମୁଖ୍ୟ କାର୍ପଟଦାର ଦୁର୍ବାସା ସାହୁ ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ପ୍ରାରମ୍ଭିକ ଚଢ଼ାଉ ବେଳେ ସେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା।
ପରେ ବୌଦ୍ଧରେ ଶିବିର ସ୍ଥାପନ କରିଥିବା STF ଟିମ୍କୁ ସୂଚନା ମିଳିଥିଲା ଯେ ଦୁର୍ବାସା ତାଙ୍କ ସହଯୋଗୀମାନଙ୍କ ସହ ପଶ୍ଚିମବଙ୍ଗକୁ ଏକ ବଡ଼ ଚୋରାଚାଲାଣ ଡିଲ୍ ପାଇଁ ଯାଉଛନ୍ତି। ତୁରନ୍ତ ଏକାଧିକ STF ଟିମ୍ ଗଠନ କରାଯାଇ ତାଙ୍କୁ ପିଛା କରାଯାଇଥିଲା। ନୟାଗଡ଼-ଖୋର୍ଦ୍ଧା ଜାତୀୟ ରାଜପଥର ପିଚୁକୁଳି ନିକଟରେ ଦୁର୍ବାସା ଯାଉଥିବା ମାରୁତି ଗ୍ରାଣ୍ଡ ଭିଟାରା କାରକୁ ଘେରାବନ୍ଦୀ କରି ଅଟକାଯାଇଥିଲା। ସେଠାରୁ ଦୁର୍ବାସା ସାହୁଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଥିଲା।
ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ସୁବୁଦ୍ଧି ସାହୁ (୪୦), ଅରୁଣ କୁମାର ରଣା (୩୪) ଏବଂ ପ୍ରକାଶ ଖଟୁଆ (୩୫)। ସେମାନଙ୍କ ନିକଟରୁ ୭ଟି ମୋବାଇଲ ଫୋନ୍, ୩୮ ହଜାର ଟଙ୍କା ନଗଦ, ଏକ ସୁନା ଚେନ୍ ଏବଂ ଦୁଇଟି ଚିରା ୧୦ ଟଙ୍କିଆ ନୋଟ୍ ଜବତ କରାଯାଇଛି।
ପୁଲିସ ତଥ୍ୟ ଅନୁଯାୟୀ, ଦୁର୍ବାସା ସାହୁଙ୍କ ବିରୋଧରେ ପୂର୍ବରୁ ଦୁଇଟି ମାମଲା ରହିଛି। ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। STF ବର୍ତ୍ତମାନ ସେମାନଙ୍କର ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ଓ ଆର୍ଥିକ କାରବାରର ତଦନ୍ତ ଆରମ୍ଭ କରିଛି। ଏହା ସହ ଅଭିଯୁକ୍ତମାନଙ୍କ ବିରୋଧରେ PIT-NDPS ଆଇନ ଲାଗୁ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି STF ପକ୍ଷରୁ କୁହାଯାଇଛି।
